ପଇସା ଦେଲେ କୃଷ୍ଣ ଚନ୍ଦ୍ର ନାଁ'ହେଲା ରେଭେନ୍ସା

 ପଇସା ଦେଲେ କୃଷ୍ଣ ଚନ୍ଦ୍ର ନାଁ'ହେଲା ରେଭେନ୍ସା

                 ପିଲା ବେଳେ ମୁଁ ଯେଉଁ ବିଦ୍ୟାଳୟ ଟିରେ ପାଠ ପଢ଼ୁଥିଲି ସେ ବିଦ୍ୟାଳୟଟିର ନାଁ ଥିଲା "ବିକ୍ରମଦେବ ମଧ୍ୟ ଇଂରାଜୀ ବିଦ୍ୟାଳୟ", ପାଟଳଦା, ଅସ୍ତରଙ୍ଗ,ପୁରୀ l ସେ ବିଦ୍ୟାଳୟର ସଂସ୍ଥାପକ ଥିଲେ ଆମ ଅଞ୍ଚଳର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ "ପୂର୍ଣ୍ଣାନନ୍ଦ ସ୍ୱାଇଁ"  l 1927 ମସିହାର କଥା l ସ୍ୱାଧୀନତା ସଂଗ୍ରାମ ସାଙ୍ଗକୁ ସମାନ୍ତରାଳ ଭାବେ ଆମ ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଯୁବ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ସ୍ବାଇଁ ଚିନ୍ତା କଲେ ସ୍କୁଲ ଟିଏ ଖୋଲିବେ l ଅର୍ଥର ପ୍ରବଳ ଅଭାଵ l ସ୍କୁଲଟିଏ କରିବା ଇଚ୍ଛା ସମ୍ପର୍କରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ,ବିପ୍ଲବୀ ମୋହନ ଦାଶ ମହୋଦୟଙ୍କୁ ଜଣାଇଲେ l ଦିନେ ଶ୍ରୀଯୁକ୍ତ ମୋହନ ଦାଶ ତାଙ୍କୁ ସାଙ୍ଗରେ ନେଇ ଚାଲିଲେ ପଞ୍ଚସଖାଙ୍କ ବକୁଳ ବନ ବିଦ୍ୟାଳୟ l ସେଠାରେ ସାକ୍ଷାତ ହେଲା ପଣ୍ଡିତ ଗୋପବନ୍ଧୁ ଏବଂ ପଣ୍ଡିତ ନୀଳକଣ୍ଠ ଙ୍କ ସହିତ l ￰ପଣ୍ଡିତ ଗୋପବନ୍ଧୁ ଯୁବକ ପୂର୍ଣ୍ଣାନନ୍ଦଙ୍କୁ ସାଥିରେ ଦେଖି ମୋହନ ଦାଶ ଙ୍କୁ ପ୍ରଶ୍ନ କଲେ, ଏ ଯୁବକ କିଏ ?

   ମୋହନ ଦାଶ ପରିଚୟ କରିବା ସହିତ ପାଟଳଦା ଠାରେ ତାଙ୍କର ବିଦ୍ୟାଳୟ ଟିଏ ଖୋଲିବାର ଅଭିପ୍ରାୟ ସମ୍ପର୍କରେ ଗୋପବନ୍ଧୁଙ୍କୁ ଜଣାଇଲେ l ପାଖରେ ଥିବା ନୀଳକଣ୍ଠ ମହାଶୟ ପ୍ରଶ୍ନ କଲେ ସ୍କୁଲ କରିବ ଯେ, ପାଖରେ ଧନ ଅଛି ଟି ? 

        ନାଇଁ ଆଜ୍ଞା ! ସେଇଟା ନାହିଁ ବୋଲି ତ, ଏଠିକୁ ଆସିଛୁ କଣ କଲେ ଯୋଗାଡ଼ ହେଇ ପାରିବ ବୋଲି l ମୋହନ ଦାଶ କହିଲେ l

     ନୀଳକଣ୍ଠ କହିଲେ "ଆମ ଅଞ୍ଚଳର ରାଜା ରାଜୁଡା କେହି ସ୍କୁଲ ଖୋଲିବାକୁ ପଇସା ଟିଏ ଦେଉ ନାହାନ୍ତି l କହିଲେ ଗାଁରେ ପୋଖରୀ ଖୋଳେଇ ଦେବେ ପଛେ ଶିକ୍ଷା ଅନୁଷ୍ଠାନ ପାଇଁ ପଇସା ଦେବେନି l ତେଣୁ କିଛି କରି ହେବା ଭଳି ଦିଶୁନି l

      ଏମାନଙ୍କ କଥାରେ ପଣ୍ଡିତ ଗୋପବନ୍ଧୁ ହସ୍ତକ୍ଷେପ କରି "କହିଲେ ଗୋଟିଏ ରାସ୍ତା ଅଛି l

       ମୁଁ ଶୁଣୁଛି, ଜୟପୁର(କୋରାପୁଟ)ର ରାଜା ବିକ୍ରମ ଦେବ ଜଣେ ବଦାନ୍ୟ ବ୍ୟକ୍ତି l ଶିକ୍ଷାର ପ୍ରସାର ପାଇଁ ତାଙ୍କ ହୃଦୟ ବିଶାଳ l ସହୟତା ପ୍ରଦାନ କରନ୍ତି l ତୁମେ ତାଙ୍କ ପାଖକୁ ଯାଇ ପାରିଲେ ସେ କିଛି କରି ପାରିବେ l

              ସେଦିନ ଉଭୟ ଫେରି ଆସିଲେ l 


       ପାଟଳଦା ଠାରୁ ଜୟପୁର (କୋରାପୁଟ)ର ଅଗମ୍ୟ ଦୂରତା ପ୍ରାୟ 600 କି.ମି l  ସେତେବେଳେ ରାସ୍ତାଘାଟ ସୁଗମ ନଥାଏ କି ଗାଡି ଘୋଡା ଉପଲବ୍ଧ ନଥାଏ l ପୂର୍ଣ୍ଣାନନ୍ଦ ଜୀ ମୋହନ ଦାଶ ମହୋଦୟଙ୍କୁ ମନେଇ ସାଥି ହେଇ ଚାଲିଲେ ସୁଦୂର ଜୟପୁର l

       ଦୀର୍ଘ ରାସ୍ତା ଚାଲି ଚାଲି ଯାଇ ରାଜାଙ୍କୁ ଭେଟି ବିଦ୍ୟାଳୟ ଟିଏ ସ୍ଥାପନା କରିବାର ଇଚ୍ଛା ପୋଷଣ କରନ୍ତେ ରାଜା, ଏତେ ଦୂରରୁ ଏମାନଙ୍କ ଆଗମନ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେବା ସହିତ ଆଗ୍ରହ ଦେଖି ପ୍ରସନ୍ନ ହେଲେ l  ସେତେବେଳେ ସେ ଏକ ହଜାର ଟଙ୍କାର ଏକ ବଡ଼ ସହାୟତା ରାଶି ପ୍ରଦାନ କରି ଥିଲେ l   

  ଉଭୟ ଫେରି ଆସି ପଇସା ଧରି ବକୁଳ ବନ ବିଦ୍ୟାଳୟରେ ପହଁଚିଲେ l ଇତି ମଧ୍ୟରେ ପଣ୍ଡିତ ଗୋପବନ୍ଧୁଙ୍କ ଦେହାବସାନ ହେଇ ସରିଥାଏ l ପଣ୍ଡିତ ନୀଳକଣ୍ଠ ଙ୍କୁ ଭେଟି ସଫଳତାର କାହାଣୀ ଶୁଣାଇଲେ l ବିଦ୍ୟାଳୟ ସ୍ଥାପନା ପାଇଁ ପଣ୍ଡିତ ନୀଳକଣ୍ଠଙ୍କୁ ଆମନ୍ତ୍ରଣ କଲେ l 

          ପଣ୍ଡିତ ନୀଳକଣ୍ଠ ବି ଆଗ୍ରହର ସହିତ ପାଟଳଦା ଆସି ବକୁଳ ଚାରା ଟିଏ ପୋତି ବିଦ୍ୟାଳୟର ଶୁଭାରମ୍ଭ କଲେ l ଆଜିବି ସେ ବକୁଳ ବୃକ୍ଷ ସେହି ବିଦ୍ୟାଳୟ ପରିସରରେ ବିଦ୍ୟମାନ l

   ବିଦ୍ୟାଳୟଟି ପ୍ରତିଷ୍ଠା ପାଇଁ ପୂର୍ଣ୍ଣାନନ୍ଦ ସ୍ୱାଇଁ ଜୀ ଙ୍କ ଅବଦାନ କୌଣସି ଏକ ରୋମାଞ୍ଚ ଭରା କାହାଣୀ ଠାରୁ କମ ନୁହେଁ l ତାଙ୍କ ଅବଦାନ ସମ୍ପର୍କରେ ବିଶେଷ ଉଲ୍ଲେଖ କରିବା ଅନାବଶ୍ୟକ l 

         ଉଲ୍ଲେଖନୀୟ ବିଷୟ ଟି ହେଲା ଏତେ କଷ୍ଟ ସହିଥିବା ସତ୍ୱେ ￰ସ୍ୱାମୀଜୀ ନିଜ ନାଁ'ରେ ବିଦ୍ୟାଳୟଟି ନକରି ରାଜା ବିକ୍ରମ ଦେବଙ୍କ ନାଁରେ କାହିଁକି କଲେ ? ସେ ଚାହିଁଥିଲେ ବିଦ୍ୟାଳୟର ନାଁ "ପୂର୍ଣ୍ଣାନନ୍ଦ ମଧ୍ୟଇଂରାଜୀ ବିଦ୍ୟାଳୟ"କରି ପାରି ଥାଆନ୍ତେ l ସେ ତାହା ନକରି ଇତିହାସରେ ଅମର କାହାଣୀ ଲେଖିଗଲେ l 

     ବିଦ୍ୟାଳୟ ପାଇଁ ଆର୍ଥିକ ସହାୟତା ଦେଇଥିବା ରାଜା ￰ବିକ୍ରମ ଦେବଙ୍କ ନାମରେ ବିଦ୍ୟାଳୟକୁ ନାମିତ କରି ବିକ୍ରମଦେବଙ୍କୁ ମଧ୍ୟ ଯଶସ୍ବୀ କରାଇଲେ l କଥାଟି ଏତିକି....

            1866 ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ତରଫରୁ ଆମ ବର୍ତ୍ତମାନର ଓଡ଼ିଶା ରାଜ୍ୟ ତଥା  ସେତେବେଳର ଓଡ଼ିଶା ଡିଭିଜନର ପ୍ରଶାସକ ଭାବେ ଥୋମାସ ଏଡ଼ୱାର୍ଡ଼ ରେଭେନ୍ସା ନାମରେ ଜଣେ ଗୋରା, ରାଜସ୍ୱ କମିଶନର ଥାନ୍ତି l ଓଡ଼ିଶାରେ ଅକାଳ ପଡିଲା l ଲୋକଙ୍କ ପାଖରୁ ଧିରେ ଧିରେ ସଞ୍ଚିତ ସମସ୍ତ ଖାଦ୍ୟ ଶସ୍ୟ￰  ସମାପ୍ତ ହେବାକୁ ଲାଗିଲା l ସେତେବେଳେ ଭାରତର ଅନ୍ୟ ପ୍ରାନ୍ତରେ ଆବଶ୍ୟକ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ଥିବାବେଳେ ଏହି ରେଭେନ୍ସାଙ୍କ ଭୂଲ ରିପୋର୍ଟ ଏବଂ ସରକାରୀ କୁ-ପରିଚାଳନା ଏବଂ ଖାମଖିଆଲି ନୀତି ଯୋଗୁଁ  ଆମ ରାଜ୍ୟର 30 ଲକ୍ଷ ଲୋକ ଖାଇବାକୁ ନପାଇ ଭୋକ ଉପାସରେ ପୋକ ମାଛି ପରି ମଲେ ବୋଲି ଇତିହାସରେ ପ୍ରମାଣ ଭରପୁର l ଏହାକୁ ନ'ଅଙ୍କ ଦୁର୍ଭିକ୍ଷ କୁହାଯାଏ l

        ଏଇ ଯେମିତି ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମ ବଙ୍ଗରେ ଏବେ ପ୍ରଚୁର ପରିମାଣରେ ଗୋଲଆଳୁ ଓଡ଼ିଶାରେ ବିକ୍ରିପାଇଁ ମହଜୁଦ ଥାଇବି ସେଠିକାର ମୁଖ୍ୟମନ୍ତ୍ରୀ ଏବଂ ଏଠିକାର ପୂର୍ବ ସରକାର କାରଣରୁ ଓଡ଼ିଶାରେ ଉତ୍କଟ ଆଳୁ ସଙ୍କଟ ଦେଖାଦେଇ ଥିଲା l ଅକଳ୍ପନୀୟ କ୍ଷତିର ସମ୍ମୁଖୀନ ହେଇଥିଲେ ପଶ୍ଚିମବଙ୍ଗର 100%ହିନ୍ଦୁ ଚାଷୀ ଏବଂ ଓଡ଼ିଶାର 90%  ହିନ୍ଦୁ ଉପଭୋକ୍ତା  l ଓଡ଼ିଶାରେ ଆଳୁ କିଲୋ 70 ଟଙ୍କା ରେ ପହଞ୍ଚି ଥିଲା l

              ସେମିତି ଏଇ ରେଭେନ୍ସା ସାହାବଙ୍କ ନେତୃତ୍ୱ, ଇଂରେଜ ସରକାରଙ୍କ ବିଫଳତା ଓ କୁପରିଚାଳନା କାରଣରୁ ନ'ଅଙ୍କ ଦୁର୍ଭିକ୍ଷରେ 30 ଲକ୍ଷ ଓଡ଼ିଆଙ୍କ ଅକାଳ ମୃତ୍ୟୁ ହେଇଥିଲା l 

    ଯାହାକୁ ଏ ଓଡ଼ିଆ ଜାତି କେବେବି କ୍ଷମା କରିବା କଥା ନୁହେଁ l ଦେଶ ସ୍ୱାଧୀନ ହେବା ପରେ ସର୍ବ ପ୍ରଥମେ 32 ଲକ୍ଷ ଓଡ଼ିଆଙ୍କ ହତ୍ୟାକାରୀ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରଶାସକ ଏହି ରେଭେନ୍ସାଙ୍କର ଅସ୍ତିତ୍ୱ ସମାପ୍ତ କରିବା କଥା  ll କିନ୍ତୁ ତାହା ଆଜି ଯାଏଁ ଉଜ୍ଜୀବିତ ଅଛି l

       1500 ଭାରତୀୟଙ୍କୁ ଗୁଳି କରି ହତ୍ୟା କରିଥିବା ଜାଲିଆଁୱାଲା ବାଗ ହତ୍ୟାକାଣ୍ଡର ମୂଖ୍ୟ ଆରୋପି ଜେନେରାଲ ଡାୟାର ନାଁ'ରେ ଭାରତରେ କଣ କିଛି ଅନୁଷ୍ଠାନ ଅଛି କି ? 

       ତେବେ 30 ଲକ୍ଷ ଲୋକଙ୍କ ଅନାହାର ମୃତ୍ୟୁର କାରଣ ବନିଥିବା ରେଭେନ୍ସାଙ୍କ ନାମରେ ବିଶ୍ଵବିଦ୍ୟାଳୟ କାହିଁକି ନାମିତ ହେବ ?

 ଏହାଙ୍କ ରିପୋର୍ଟ ଯୋଗୁଁ ହିଁ ଖାଦ୍ୟ ଯୋଗାଣ ସମ୍ପୂର୍ଣ୍ଣ ବ୍ୟହତ ହେଲା l

    ଯାହା ହେବାର ଥିଲା ହେଇ ସାରିଥିଲା l ସବୁ କଥା ଭୁଲି ଏବେ ଆଗକୁ ଦେଖିବା କଥା l 1866 ନ'ଅଙ୍କ ଦୁର୍ଭିକ୍ଷ ପରେ ପରେ 1868 ମସିହାରେ￰ ଓଡ଼ିଶା ଡିଭିଜନର କିଛି ପ୍ରମୁଖ ବ୍ୟକ୍ତି ଓଡ଼ିଆ ପିଲାମାନଙ୍କ ଉଚ୍ଚ ଶିକ୍ଷା ପାଇଁ କଟକର ଜିଲ୍ଲା ସ୍କୁଲରେ କଲେଜ ଟିଏ ଖୋଲିବା ନିମନ୍ତେ ବଙ୍ଗ ସରକାରଙ୍କୁ ପ୍ରବର୍ତ୍ତେଇବା ପାଇଁ କମିଶନର ଥିବା ରେଭେନ୍ସା ଙ୍କୁ ଅନୁରୋଧ କଲେ l 

           ଏବଂ ସେ ଅନୁମତି ଆଣିବାରେ ସକ୍ଷମ ହେଲେ l ଏହା ହେଲା ଓଡ଼ିଶାର ପ୍ରଥମ କଲେଜ l ଛଅ ଜଣ ପିଲାଙ୍କୁ ନେଇ 1868 ମସିହାରେ କଲେଜିଏଟ ସ୍କୁଲ ନାଁରେ କଟକ ଜିଲ୍ଲା ସ୍କୁଲରେ Intermediate class ଆରମ୍ଭ ହେଲା l

        ପରେ ପରେ ଏହି କଲେଜିଏଟ ସ୍କୁଲକୁ ପୂର୍ଣ୍ଣ ବିକଶିତ ବା Full fledged college କରିବା ପାଇଁ କମିଶନରଙ୍କ ମାଧ୍ୟମରେ ବେଙ୍ଗଲ ସରକାର ପାଖରେ ଦାବି କରାଗଲା l

 ବେଙ୍ଗଲ ସରକାର କଲେଜ ପ୍ରତିଷ୍ଠା ପାଇଁ ￰ବେସରକାରୀ ସୂତ୍ରରୁ 30,000 ଟଙ୍କା ଆର୍ଥିକ ସହାୟତା ଜମା କରିବା ସର୍ତ୍ତରେ କଲେଜ ଖୋଲିବା ଅନୁମତି ପ୍ରଦାନ କଲେ l 

            HJ Reynolds, Secretary to Govt of Bengal, Principal ନିଯୁକ୍ତି ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିବା ସହିତ କଲେଜ ପରିଚାଳନାରେ ହେବାକୁ ଥିବା ମୋଟ ଖର୍ଚ୍ଚର ଅଧା ଘରୋଇ ଅନୁଦାନ ସୂତ୍ରରୁ ମେଣ୍ଟାଇବା ପାଇଁ ଆଦେଶ ଦେଲେ l

           ସେତେବେଳେ ଏହି କଠିନ କାର୍ଯ୍ୟ ପାଇଁ ମୟୁରଭଞ୍ଜର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେବ ଆଗେଇ ଆସିଥିଲେ ଏବଂ 20,000 ଟଙ୍କାର ଏକ ବିଶାଳ ଅର୍ଥରାଶି କଲେଜ ପାଇଁ ସହାୟତା ଆକାରରେ ପ୍ରଦାନ କଲେ l ଅନ୍ୟଥା ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରଙ୍କ ସର୍ତ୍ତ ଅନୁଯାୟୀ କଟକରେ କଲେଜ ଟିଏ କରିବାର ସ୍ୱପ୍ନ ଦିବା ସ୍ୱପ୍ନରେ ପରିଣତ ହେଇ ଯାଇ ଥାଆନ୍ତା l 

            ସାମୁଏଲ ଅଗର ପ୍ରଥମ ପ୍ରିନ୍ସିପାଲ ଭାବେ ନିଯୁକ୍ତ ହେଲେ l 

1876 ମସିହାରେ ଏହି କଲେଜିଏଟ ସ୍କୁଲ, Full Fledged Government Degree College ରେ ପରିଣତ ହେଲା l ମହାରାଜା ଦେଇଥିବା ଅନୁଦାନରେ ଏହାର ସିଂହଭାଗ ଖର୍ଚ୍ଚ ସୁରୁଖୁରରେ ସଞ୍ଚାଳିତ ହେଲା l 

ନାଁ ହେଲା "କଟକ କଲେଜ" l University of Calcutta ସହିତ ଅନୁବନ୍ଧିତ ହେଲା l 

        କେଜାଣି କଣ ପାଇଁ ହଠାତ 1878 ମସିହାରେ ଏହି କଲେଜର ନାମ କଟକ କଲେଜରୁ ପରିବର୍ତ୍ତିତ ହେଇ Thomas Edward Ravenshaw ଙ୍କ ନାମ ଅନୁଯାୟୀ "Ravenshaw College" ନାମରେ ନାମିତ ହେଲା  l ସେ ତ ଜଣେ ସରକାରୀ ଅଧିକାରୀ ମାତ୍ର ଥିଲେ l ଆମ ରାଜସ୍ୱରେ ସେ ଦରମା ନେଉଥିଲେ l କଲେଜ ତ କୃଷ୍ଣଚନ୍ଦ୍ର ଭଞ୍ଜଦେବ ଙ୍କ ବିଶାଳ ଆର୍ଥିକ ସହାୟତାରେ ହେଲା l ପୁଣି କଣ ହେଲା ଯେ ଓଡ଼ିଶାର ଏହି ପ୍ରଥମ College ଟିର ନାଁ "କଟକ କଲେଜ" ନରହି, କୃଷ୍ଣଚନ୍ଦ୍ର ଭଞ୍ଜଦେବ ଙ୍କ ନାଁ'ରେ ନହେଇ ଇଂରେଜଙ୍କ ବେତନଭୋଗୀ କର୍ମଚାରୀ କମିଶନର Ravenshaw ନାଁ'ରେ ହେଇଗଲା ?

         ତେବେ କଣ ଆମେ ଭାବି ନେବା ଯେ ଆମ ଅଞ୍ଚଳରେ ସରକାରୀ ଅନୁଦାନରେ ହେଉଥିବା ବ୍ରିଜ ଗୁଡିକ କଲେକ୍ଟରଙ୍କ ନାଁରେ, ଥାନା ଗୁଡିକ ତତ୍କାଳୀନ S.P ଙ୍କ ନାଁରେ ଏବଂ ବିଦ୍ୟାଳୟ ଗୁଡ଼ିକ DEO ଙ୍କ ନାଁରେ ହେବା ଉଚିତ l 

         ଅବଶ୍ୟ ଏବେ ତ ଆମ ଦେଶର 98% ରାସ୍ତା,ଘାଟ, ସରକାରୀ ପ୍ରତିଷ୍ଠାନ ସବୁ ଆକ୍ରମଣକାରୀ ମୋଗଲ, ଏବଂ ଗୋଟିଏ ରାଜନୈତିକ ପରିବାର ନାଁ ରେ ନାମିତ l ଗୋଟିଏ ବିଶ୍ଵବିଦ୍ୟାଳୟର ନାଁ କଟକ ବା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାଁ'ରେ ନରହି ଇଷ୍ଟ ଇଣ୍ଡିଆ କମ୍ପାନୀର ଗୋରା ପ୍ରଶାସକ ନାଁ'ରେ ରହିଲେ କଣ ଅସୁବିଧା ହେଉଛି l

         "ଗୋରା ଆମର ଗର୍ବ"  

टिप्पणियाँ

एक टिप्पणी भेजें

इस ब्लॉग से लोकप्रिय पोस्ट

Indian Army Religious Teacher (RT JCO) 2027: Eligibility for Sanskrit Students

OAV Khordha Recruitment 2026: TGT Sanskrit & Other Teaching Posts | OAV ଖୋର୍ଦ୍ଧା ନିଯୁକ୍ତି ୨୦୨୬

Language Skills (part - 3) Reading Skills